କୋରାପୁଟ ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ପଣ୍ଡାଙ୍କ ରିପୋର୍ଟ
ବୋରିଗୁମ୍ମା :୨୧/୯(କୋ.ସ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଏକାଧିକ ସରକାରୀ ବିଦ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିନା ସୂଚନାରେ ବିଚ୍ଛିନ୍ନ କରାଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ଏପରି ମନମୁଖୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ପାନୀୟ ଜଳ ଯୋଗାଣ, ପଙ୍ଖା ଓ ଅନ୍ୟାନ୍ୟ ମୌଳିକ ସୁବିଧାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି।
କେତେକ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଗରମ ଓ ଅନ୍ଧାରରେ ରାତି କାଟିବା ସହ ହଷ୍ଟେଲରେ ପାଣି ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଡିଜିଟାଲ ମିଟରରୁ ସିଧାସଳଖ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ବେଳେ ଏନେଇ ଆଗୁଆ ସୂଚନା ଦିଆଯାଇ ନଥିଲା। ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଥମେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସାଧାରଣ ବିଦ୍ୟୁତ ବିଭ୍ରାଟ ବୋଲି ଭାବିଥିଲେ। ଦୀର୍ଘ ସମୟ ପରେ ମଧ୍ୟ ବିଦ୍ୟୁତ୍ ନ ଆସିବାରୁ ଖୋଜଖବର ନେବା ପରେ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଥିଲା ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ସହର ମଧ୍ୟରେ ଥିବା ଜେ.ବି. ସ୍କୁଲରେ ନଳକୂପରେ ପାଣି ମଟର ସଂଯୋଗ ହୋଇଥିବାରୁ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ଏନେଇ ପ୍ରଧାନଶିକ୍ଷକ ବୋରିଗୁମ୍ମା ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କରିଥିଲେ। ବକେୟା ଅର୍ଥ ପୈଠ ନକଲେ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ ବୋଲି ଜଣାପଡ଼ିଥିଲା।
ବୋରିଗୁମ୍ମା ଏନଏସିର ଏକାଧିକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବିଦ୍ୟୁତ ବିଚ୍ଛିନ୍ନ ହେବାରୁ ସମସ୍ୟା ଉପୁଜିଛି। କୋମଳମତି ଶିଶୁମାନେ ଶ୍ରେଣୀଗୃହରେ ଅନ୍ଧାର ରହୁଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଶ୍ରେଣୀଗୃହ ଭିତରେ ବସି ନପାରି ଶେଷରେ ବାଧ୍ୟ ହୋଇ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି।
ଏକାଧିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କଟିବା ପରେ ବିଦ୍ୟାଳୟଗୁଡ଼ିକର ବକେୟା ବିଦ୍ୟୁତ ବିଲ୍ ଓ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟକୁ ନେଇ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ସୁବାଷ ଚନ୍ଦ୍ର ମାଝୀ କହିଛନ୍ତି, କୌଣସି ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କଟିଥିଲେ ଏବଂ ଆଗକୁ ଯେପରି ଏଭଳି ସ୍ଥିତି ନ ଉପୁଜେ ସେନେଇ ବିଭାଗ ନଜର ରଖୁଛି। ଯେଉଁ ବିଦ୍ୟାଳୟର ବକେୟା ରହିଛି ତାହାର ସମାଧାନ କରାଯିବ। ଏହି ପ୍ରସଙ୍ଗରେ ବିଦ୍ୟୁତ ବିଭାଗକୁ ଚିଠି ଲେଖାଯାଇଛି, ଖୁବଶୀଘ୍ର ଉକ୍ତ ବିଦ୍ୟାଳୟଗୁଡ଼ିକୁ ବିଦ୍ୟୁତ ସଂଯୋଗ ଦିଗରେ ପଦକ୍ଷେପ ନିଆଯାଉଛି।
ଅନ୍ୟପକ୍ଷରେ ବୋରିଗୁମ୍ମା ଉପଖଣ୍ଡ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବିଦ୍ୟାଳୟର ବକେୟା ରହିଥିଲେ ତାହା ପୈଠ ନକରିବା ପର୍ଯ୍ୟନ୍ତ ପୁନଃ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ। ଆଗକୁ ବିଲ୍ ପୈଠ କରିବେ ବୋଲି ସମ୍ମତି ପତ୍ର ଦେଲେ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିବ। ବିଦ୍ୟାଳୟର ବିଦ୍ୟୁତ କାଟିବା ବୋରିଗୁମ୍ମା ବିଭାଗ ହାତରେ ନାହିଁ, ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟରୁ ଏହା ସ୍ଥିର ହେଉଛି।
Thanks for reading: ବିଦ୍ୟୁତ ବିଭାଗର ମନମାନୀ : ୫ ଦିନ ହେଲା ସରକାରୀ ବିଦ୍ୟାଳୟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଛାତ୍ରଛାତ୍ରୀ, Sorry, my English is bad:)

