ଶିରୀଗୁଡ଼ା ଏକଲବ୍ୟ ବିଦ୍ୟାଳୟରେ ଭଗବାନ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ଶିରୀଗୁଡ଼ା ଏକଲବ୍ୟ ବିଦ୍ୟାଳୟରେ ଭଗବାନ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ



 

ଆଦିବାସୀ ସଂସ୍କୃତି, ପରମ୍ପରା ଓ ବୀରତ୍ୱକୁ ସ୍ମରଣ; ୧୦ ଜଣ ପ୍ରତିଭାବାନ ଆଦିବାସୀ ଯୁବକ-ଯୁବତୀ ସମ୍ମାନିତ

ରିପୋର୍ଟର ନରୋତ୍ତମ ପାଢ଼ୀ 

ରାୟଗଡ, ୧୫.୧୧.୨୦୨୬: ଆଦିବାସୀ ସମାଜର ଗର୍ବ ଓ ଗୌରବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ରାୟଗଡ ସଦର ମହକୁମାସ୍ଥିତ ଶିରୀଗୁଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଭଗବାନ ବିର୍ସାମୁଣ୍ଡାଙ୍କ ସଂଘର୍ଷମୟ ଜୀବନ, ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯାଇଥିଲା। ବ୍ରିଟିଶ ଶାସକ, ଜମିଦାର ଓ ମହାଜନମାନଙ୍କ ଶୋଷଣ ଏବଂ ଆଦିବାସୀଙ୍କ ଜମି ଓ ଜୀବିକା ଉପରେ ଅନ୍ୟାୟପୂର୍ଣ୍ଣ ହସ୍ତକ୍ଷେପ ବିରୋଧରେ ସେ ଆଦିବାସୀ ସମାଜକୁ ସଚେତନ ଓ ସଂଗଠିତ କରିଥିଲେ। ତାଙ୍କର ସଂଘର୍ଷ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ କାଡ୍ରାକା ଆପାଲସ୍ୱାମୀ କହିଥିଲେ ଯେ, ବିର୍ସାମୁଣ୍ଡାଙ୍କୁ କେବଳ ଜୟନ୍ତୀ ଅବସରରେ ସ୍ମରଣ କରିଦେଲେ ହେବ ନାହିଁ, ବରଂ ତାଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବା ଆବଶ୍ୟକ। ପ୍ରକୃତି ଓ ଜଙ୍ଗଲର ସୁରକ୍ଷା ସହ ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଗ୍ରହଣ କରି ନିଜକୁ ଦେଶର ଶକ୍ତିଶାଳୀ ଓ ଦକ୍ଷ ନାଗରିକ ଭାବେ ଗଢ଼ିତୋଳିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ପଞ୍ଚାୟତ ସମିତି ଅଧକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ସମେତ ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଷ୍ଟଲ୍ ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଆଦିବାସୀ କଳା ଓ ସଂସ୍କୃତିର ପ୍ରତୀକ ପାରମ୍ପରିକ ଡୋକ୍ରା ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା କରାଯାଇଥିଲା। ବିଷମକଟକ ବ୍ଲକର ଝିଗିଡ଼ି ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିଲେ।ସେହିପରି ନିୟମଗିରି ପାହାଡ଼ ଅଞ୍ଚଳର ବହୁ ଡଙ୍ଗରିଆ ମହିଳାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ବିଲେସୁ ଓ କଟଲାଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଦିବାସୀ ପାରମ୍ପରିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ।ଅନ୍ୟ ଏକ ଉଲ୍ଲେଖନୀୟ ପର୍ବ ଭାବେ ଜିଲ୍ଲାର ଗୌରବ ବଢ଼ାଇଥିବା ୧୦ ଜଣ ପ୍ରତିଭାବାନ ଆଦିବାସୀ ଯୁବକ-ଯୁବତୀଙ୍କୁ ସମ୍ମାନିତ କରାଯାଇଥିଲା। ଡାକ୍ତରୀ ଶିକ୍ଷାରେ ସଫଳତା ହାସଲ କରିଥିବା, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଯୁବ ପ୍ରତିଭାମାନଙ୍କୁ ଅତିଥିମାନେ ମାନପତ୍ର ଓ ସମ୍ମାନ ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହା ସହିତ ଶ୍ରମ ବିଭାଗ ପକ୍ଷରୁ ମୃତ୍ୟୁ ସହାୟତା, ବିବାହ ସହାୟତା ଓ ଶିକ୍ଷା ସହାୟତା ସେଠାରେ ପ୍ରଦାନ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରି ସଫଳ କରିଥିଲେ।

ଭଗବାନ ବିର୍ସାମୁଣ୍ଡାଙ୍କ ଆଦର୍ଶ, ଆଦିବାସୀ ସଂସ୍କୃତିର ସୁରକ୍ଷା ଓ ଯୁବପିଢ଼ିଙ୍କ ଶିକ୍ଷା ଓ ଉନ୍ନତିର ବାର୍ତ୍ତା ସହ ଏହି ଜୟନ୍ତୀ କାର୍ଯ୍ୟକ୍ରମ ଏକ ସ୍ମରଣୀୟ ଅବସରରେ ପରିଣତ ହୋଇଥିଲା। ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

Thanks for reading: ଶିରୀଗୁଡ଼ା ଏକଲବ୍ୟ ବିଦ୍ୟାଳୟରେ ଭଗବାନ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.